8 ଏଥିଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
9 ଯଥା, “ଉଠ, ସୀଦୋନର ସାରିଫତ୍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।”
10 ତହିଁରେ ସେ ଉଠି ସାରିଫତ୍କୁ ଗଲେ ଓ ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଣ୍ଟୁଅଛି; ତହୁଁ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି।”
11 ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁନର୍ବାର ଡାକି କହିଲେ, “ବିନୟ କରୁଅଛି, ମୋʼ ପାଇଁ ଖଣ୍ଡେ ରୁଟି ହାତରେ ଆଣ।”
12 ତହୁଁ ସେ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋʼ ଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି; ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି, ଯେପରି ତାହା ନେଇଯାଇ ମୋʼ ପାଇଁ ଓ ମୋʼ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ।”
13 ଏଥିରେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାହା କହିଲ, ତାହା ଯାଇ କର; ମାତ୍ର ତହିଁରୁ ପ୍ରଥମେ ମୋʼ ପାଇଁ ଗୋଟିଏ ସାନ ପିଠା କରି ମୋʼ ନିକଟକୁ ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର।
14 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି, ସେଦିନ ପର୍ଯ୍ୟନ୍ତ ମଇଦା-କଳସ ଶୂନ୍ୟ ହେବ ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେବ ନାହିଁ।”
15 ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କଲା; ପୁଣି, ସେ ଓ ଏଲୀୟ ଓ ସେହି ସ୍ତ୍ରୀର ପରିଜନ ଅନେକ ଦିନ ଯାଏ ଭୋଜନ କଲେ।
16 ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହିଁ।
17 ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତ୍ରୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା; ପୁଣି, ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ, ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ। 18 ତହିଁରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କଅଣ ଅଛି? ତୁମ୍ଭେ ମୋହର ପାପ ସ୍ମରଣ କରାଇବାକୁ ଓ ମୋʼ ପୁତ୍ରକୁ ବଧ କରିବାକୁ ଆସିଅଛ!” 19 ତହୁଁ ଏଲୀୟ ତାହାକୁ କହିଲେ, “ମୋତେ ତୁମ୍ଭ ପୁତ୍ରକୁ ଦିଅ।” ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରିକୁ ଘେନିଯାଇ ଆପଣା ଶଯ୍ୟାରେ ତାହାକୁ ଶୁଆଇଲେ। 20 ପୁଣି, ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କʼଣ ଅମଙ୍ଗଳ ଘଟାଇଲ?” 21 ତହୁଁ ବାଳକ ଉପରେ ସେ ତିନି ଥର ଆପଣାକୁ ଲମ୍ବାଇଲେ, ଆଉ ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରିଆସୁ।” 22 ଏଥିରେ ସଦାପ୍ରଭୁ ଏଲୀୟଙ୍କର ରବରେ କର୍ଣ୍ଣପାତ କଲେ; ପୁଣି, ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ, ସେ ପୁନର୍ଜୀବିତ ହେଲା। 23 ତହୁଁ ଏଲୀୟ ବାଳକକୁ ନେଇ କୋଠରିରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ; ପୁଣି, ଏଲୀୟ କହିଲେ, “ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା।” 24 ଏଥିରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।”
<- ପ୍ରଥମ ରାଜାବଳୀ 16ପ୍ରଥମ ରାଜାବଳୀ 18 ->