20 ଏଉତ୍ତାରେ ସେମାନେ ମେଜ ନିକଟରେ ବସିଥିବା ବେଳେ ଏପରି ହେଲା ଯେ, ଯେଉଁ ଭବିଷ୍ୟଦ୍ବକ୍ତା ତାହାକୁ ଫେରାଇ ଆଣିଥିଲା, ତାହା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା। 21 ଏଥିରେ ସେ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକକୁ ଉଚ୍ଚସ୍ୱରରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ, ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କରି ନାହଁ; 22 ମାତ୍ର ଫେରି ଆସିଅଛ, ପୁଣି, ଯେଉଁ ସ୍ଥାନରେ ଅନ୍ନ ଭୋଜନ ନ କର ଓ ଜଳ ପାନ ନ କର, ବୋଲି ସେ ତୁମ୍ଭକୁ କହିଥିଲେ, ‘ସେହି ସ୍ଥାନରେ ତୁମ୍ଭେ ଅନ୍ନ ଭୋଜନ କରିଅଛ ଓ ଜଳ ପାନ କରିଅଛ;’ ଏହେତୁ ତୁମ୍ଭ ଶବ ତୁମ୍ଭ ପିତୃଲୋକମାନଙ୍କ କବରରେ ପ୍ରବିଷ୍ଟ ନୋହିବ।” 23 ଏଥିରେ ସେ ଅନ୍ନ ଭୋଜନ ଓ ଜଳ ପାନ କଲା ଉତ୍ତାରେ ତାହା ପାଇଁ, ଅର୍ଥାତ୍, ସେ ଯାହାକୁ ଫେରାଇ ଆଣିଥିଲା, ସେହି ଭବିଷ୍ୟଦ୍ବକ୍ତା ପାଇଁ ଗଧ ସଜାଇଲା। 24 ତହୁଁ ସେ ଯାତ୍ରା କରନ୍ତେ, ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି, ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା; ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା। 25 ଏଉତ୍ତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ; ତହୁଁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତାର ନିବାସ-ନଗରରେ ତାହା ଜଣାଇଲେ।
26 ଏଥିରେ ଯେଉଁ ଭବିଷ୍ୟଦ୍ବକ୍ତା ତାହାଙ୍କୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, “ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ୱରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।” 27 ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ଗଧ ସଜାଇଲେ। 28 ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି, ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା; ସିଂହ ଶବ ଖାଇ ନ ଥିଲା, କି ଗଧକୁ ବିଦୀର୍ଣ୍ଣ କରି ନ ଥିଲା। 29 ପୁଣି, ସେ ଭବିଷ୍ୟଦ୍ବକ୍ତା ପରମେଶ୍ୱରଙ୍କ ଲୋକର ଶବ ଉଠାଇ ନେଇ ଗଧ ଉପରେ ଥୋଇ ତାହା ଫେରାଇ ଆଣିଲା; ଆଉ ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତା ଶୋକ କରିବା ପାଇଁ ଓ ତାହାକୁ କବର ଦେବା ପାଇଁ ଆପଣା ନଗରକୁ ଆସିଲା। 30 ପୁଣି, ସେ ଆପଣା କବରରେ ତାହାର ଶବ ଥୋଇଲା; ତହୁଁ ସେମାନେ, “ହାୟ, ମୋହର ଭାଇ!” ବୋଲି ତାହା ଲାଗି ବିଳାପ କଲେ। 31 ଆଉ ସେ ତାହାକୁ କବର ଦେଲା ଉତ୍ତାରେ ଆପଣା ପୁତ୍ରମାନଙ୍କୁ କହିଲା, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଏହି ଲୋକ କବର ପାଇଅଛି, ତହିଁରେ ମୋତେ କବର ଦେଇ ତାହାର ଅସ୍ଥି ପାଖରେ ମୋହର ଅସ୍ଥି ରଖିବ। 32 କାରଣ ସେ ବେଥେଲ୍ସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରୀୟାର ନାନା ନଗରସ୍ଥିତ ଉଚ୍ଚସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଉଚ୍ଚସ୍ୱରରେ ଯାହା କହିଅଛି, ତାହା ନିଶ୍ଚୟ ସଫଳ ହେବ।”
33 ଏ ଘଟଣା ଉତ୍ତାରେ ଯାରବୀୟାମ ଆପଣା କୁପଥରୁ ଫେରିଲେ ନାହିଁ, ମାତ୍ର ପୁନର୍ବାର ସମୁଦାୟ ଲୋକଙ୍କ ମଧ୍ୟରୁ ଉଚ୍ଚସ୍ଥଳୀର ଯାଜକ ନିଯୁକ୍ତ କଲେ; ସମସ୍ତ ଉଚ୍ଚସ୍ଥଳୀ ପାଇଁ ଯେପରି ଯାଜକ ହେବେ ଏଥିପାଇଁ ଯେ ଇଚ୍ଛା କଲା, ତାହାକୁ ସେ ନିଯୁକ୍ତ କଲେ। 34 ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା।
<- ପ୍ରଥମ ରାଜାବଳୀ 12ପ୍ରଥମ ରାଜାବଳୀ 14 ->