6 ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?” 7 ତେବେ ସେମାନେ ତାଙ୍କୁ କହିଲେ, “ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।” 8 ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କଲେ। 9 ପୁଣି, ସେ ସେମାନଙ୍କୁ କହିଲେ, “ଏହି ଲୋକମାନେ ମୋତେ କହୁଛନ୍ତି, ‘ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ଥୋଇଅଛନ୍ତି, ତାହା ହାଲୁକା କର; ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭଙ୍କୁ କି ପରାମର୍ଶ ଦେଉଅଛ?’ ” 10 ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ‘ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ; ମୋର କନିଷ୍ଠ ଅଙ୍ଗୁଳି ମୋʼ ପିତାଙ୍କ କଟିଠାରୁ ମୋଟ। 11 ଏଥିପାଇଁ ମୋʼ ପିତା ଯେଉଁ ଭାରୀ ଯୁଆଳି ତୁମ୍ଭମାନଙ୍କ ଉପରେ ଥୋଇଅଛନ୍ତି, ମୁଁ ତାହା ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।’ ”
12 ତୃତୀୟ ଦିନରେ ମୋʼ ନିକଟକୁ ପୁଣି, ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଯାରବୀୟାମ ଓ ସମସ୍ତ ଲୋକ ରିହବୀୟାମଙ୍କ ନିକଟକୁ ଆସିଲେ। 13 ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ; 14 ପୁଣି, ଯୁବାମାନଙ୍କ ପରାମର୍ଶନୁସାରେ ଲୋକମାନଙ୍କୁ କହିଲେ, “ମୋʼ ପିତା ତୁମ୍ଭମାନଙ୍କ ଉପରେ ଭାରୀ ଯୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଯୁଆଳି ଆହୁରି ଭାରୀ କରିବି; ମୋʼ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଚ୍ଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି।” 15 ଏହିରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ; କାରଣ ସଦାପ୍ରଭୁ ଶୀଲୋନୀୟ ଅହୀୟ ଦ୍ୱାରା ନବାଟର ପୁତ୍ର ଯାରବୀୟାମଙ୍କୁ ଯାହା କହିଥିଲେ, ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡ଼ୁ ଘଟିଲା।
17 ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯିହୁଦାର ନାନା ନଗରରେ ବାସ କଲେ, ସେମାନଙ୍କ ଉପରେ ରିହବୀୟାମ ରାଜ୍ୟ କଲେ। 18 ଏଥିଉତ୍ତାରେ ରିହବୀୟାମ ରାଜା ବେଠିକର୍ମାଧ୍ୟକ୍ଷ ଅଦୋନୀରାମ୍କୁ[a] ପଠାଇଲେ; ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବୀୟାମ ରାଜା ଯିରୂଶାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ। 19 ଏହିରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ-ବଂଶର ବିଦ୍ରୋହୀ ହେଲେ। 20 ଏଉତ୍ତାରେ ଯାରବୀୟାମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ, ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ; କେବଳ ଯିହୁଦା-ଗୋଷ୍ଠୀ ଛଡ଼ା କେହି ଦାଉଦ-ବଂଶର ଅନୁଗାମୀ ହେଲା ନାହିଁ। 21 ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ଯିହୁଦାର ସମସ୍ତ ବଂଶର ଓ ବିନ୍ୟାମୀନ୍ ଗୋଷ୍ଠୀର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ଶଲୋମନଙ୍କର ପୁତ୍ର ରିହବୀୟାମଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। 22 ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 23 “ଯିହୁଦାର ରାଜା ଶଲୋମନର ପୁତ୍ର ରିହବୀୟାମକୁ, ପୁଣି, ଯିହୁଦା ଓ ବିନ୍ୟାମୀନ୍ର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ: 24 ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି।’ ” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ।
- a ଦୋନୀରାମ୍କୁ କେତେକ ହସ୍ତଲିପିରେ ଅଦୋରାମ୍