9 ଏହେତୁ ସଦାପ୍ରଭୁ ଶଲୋମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା; ସଦାପ୍ରଭୁ ତାଙ୍କୁ ଦୁଇ ଥର ଦର୍ଶନ ଦେଇଥିଲେ 10 ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତ୍ଗାମୀ ହେବାକୁ ନିଷେଧ କରିଥିଲେ; ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ, ତାହା ସେ ପ୍ରତିପାଳନ କଲେ ନାହିଁ। 11 ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା। 12 ତଥାପି ତୁମ୍ଭ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ୍ଭ ସମୟରେ ଏହା କରିବା ନାହିଁ; ମାତ୍ର ଆମ୍ଭେ ତୁମ୍ଭ ପୁତ୍ର ହସ୍ତରୁ ତାହା ଚିରି ନେବା। 13 ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ; ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଯିରୂଶାଲମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା।”
23 ଆହୁରି ପରମେଶ୍ୱର ଇଲୀୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ, ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା; 24 ଯେଉଁ ସମୟରେ ଦାଉଦ ସୋବାର ଲୋକମାନଙ୍କୁ ବଧ କଲେ, ସେସମୟରେ ସେ ଆପଣା ନିକଟରେ ଲୋକମାନଙ୍କୁ ସଂଗ୍ରହ କରି ଏକ ଦଳପତି ହୋଇଥିଲା; ତହିଁ ଉତ୍ତାରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କରି ଦମ୍ମେଶକରେ ରାଜ୍ୟ କଲେ। 25 ଆଉ ସେ ହଦଦ୍ର କୃତ ମନ୍ଦ କର୍ମ ଛଡ଼ା ଶଲୋମନଙ୍କର ଯାବଜ୍ଜୀବନ ଇସ୍ରାଏଲର ବିପକ୍ଷ ହୋଇଥିଲା; ସେ ଇସ୍ରାଏଲକୁ ଘୃଣା କରି ଅରାମ ଉପରେ ରାଜ୍ୟ କଲା। 26 ପୁଣି, ସରେଦା ନିବାସୀ ଇଫ୍ରୟିମୀୟ ନବାଟର ପୁତ୍ର ଶଲୋମନଙ୍କର ଦାସ ଯାରବୀୟାମ ମଧ୍ୟ ରାଜାଙ୍କର ପ୍ରତିକୂଳରେ ଆପଣା ହସ୍ତ ଉଠାଇଲେ; ତାଙ୍କର ମାତାର ନାମ ସରୁୟା, ସେ ଏକ ବିଧବା ସ୍ତ୍ରୀ ଥିଲା। 27 ରାଜାଙ୍କ ପ୍ରତିକୂଳରେ ତାଙ୍କର ହସ୍ତ ଉଠାଇବାର କାରଣ ଏହି; ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ଭଗ୍ନ ସ୍ଥାନ ପୁନଃନିର୍ମାଣ କରୁଥିଲେ। 28 ସେସମୟରେ ଯାରବୀୟାମ ମହାବିକ୍ରମଶାଳୀ ପୁରୁଷ ଥିଲେ; ଏଣୁ ଶଲୋମନ ସେହି ଯୁବା ଲୋକଙ୍କୁ ପରିଶ୍ରମୀ ଦେଖି ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ଅର୍ପଣ କଲେ। 29 ଘଟଣାକ୍ରମେ ସେହି ସମୟରେ ଯାରବୀୟାମ ଯିରୂଶାଲମର ବାହାରକୁ ଯାʼନ୍ତେ, ପଥରେ ଶୀଲୋନୀୟ ଅହୀୟ ଭବିଷ୍ୟଦ୍ବକ୍ତା ତାଙ୍କର ଦେଖା ପାଇଲା; ଅହୀୟ ଆପଣାକୁ ନୂତନ ବସ୍ତ୍ରରେ ଆଚ୍ଛାଦନ କରିଥିଲା ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ। 30 ତହିଁରେ ଅହୀୟ ଆପଣା ଦେହର ନୂତନ ବସ୍ତ୍ର ଧରି ବାରଖଣ୍ଡ କରି ଚିରିଲା। 31 ଆଉ ଯାରବୀୟାମଙ୍କୁ କହିଲା, “ତୁମ୍ଭେ ଆପଣା ପାଇଁ ଦଶ ଖଣ୍ଡ ନିଅ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରି ନେବା ଓ ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। 32 ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଯିରୂଶାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ। 33 ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବୀକି ଓ ମୋୟାବର କମୋଶ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍କମ୍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି। 34 ତଥାପି ଆମ୍ଭେ ସମୁଦାୟ ରାଜ୍ୟ ତାହା ହସ୍ତରୁ ନେବା ନାହିଁ, ମାତ୍ର ଆମ୍ଭ ମନୋନୀତ ଦାସ ଯେଉଁ ଦାଉଦ ଆମ୍ଭର ଆଜ୍ଞା ଓ ଆମ୍ଭର ବିଧିସକଳ ପାଳନ କଲା, ତାହା ସକାଶୁ ତାହାକୁ ଯାବଜ୍ଜୀବନ ଅଧିପତି କରି ରଖିବା; 35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା, ଅର୍ଥାତ୍, ଦଶ ଗୋଷ୍ଠୀ ତୁମ୍ଭକୁ ଦେବା। 36 ଆଉ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ନଗର ମନୋନୀତ କରିଅଛୁ, ସେହି ଯିରୂଶାଲମରେ ଯେପରି ଆମ୍ଭ ଦାସ ଦାଉଦର ପ୍ରଦୀପ ଆମ୍ଭ ସମ୍ମୁଖରେ ସର୍ବଦା ରହିବ, ଏଥିପାଇଁ ତାହାର ପୁତ୍ରକୁ ଏକ ଗୋଷ୍ଠୀ ଦେବା। 37 ପୁଣି, ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା, ତହିଁରେ ତୁମ୍ଭେ ଆପଣା ପ୍ରାଣର ସମସ୍ତ ବାଞ୍ଛାନୁସାରେ ରାଜ୍ୟ କରି ଇସ୍ରାଏଲ ଉପରେ ରାଜା ହେବ। 38 ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ, ଆମ୍ଭ ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ, ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ ଦେବା। 39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ-ବଂଶକୁ କ୍ଳେଶ ଦେବା, ମାତ୍ର ସଦାକାଳ ନୁହେଁ।’ ” 40 ଉକ୍ତ କାରଣରୁ ଶଲୋମନ ଯାରବୀୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ; ମାତ୍ର ଯାରବୀୟାମ ଉଠି ମିସରକୁ ମିସରୀୟ ରାଜା ଶୀଶକ୍ ନିକଟକୁ ପଳାଇଲେ ଓ ଶଲୋମନଙ୍କର ମରଣ ପର୍ଯ୍ୟନ୍ତ ମିସରରେ ରହିଲେ।
- a ଅର୍ଥାତ୍ ମରିଅଛନ୍ତି