1 ଦେଖ, ପିତା ଈଶ୍ବର ଆମ୍ଭମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ, ଆଉ ଆମ୍ଭେମାନେ ତାହା ହିଁ ଅଟୁ। ଏଥିସକାଶେ ଜଗତ ଆମ୍ଭମାନଙ୍କୁ ଚିହ୍ନୁ ନାହିଁ, କାରଣ ତାହା ତାହାଙ୍କୁ ଚିହ୍ନି ନ ଥିଲା। 2 ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କଅଣ ହେବା, ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ। ଆମ୍ଭେମାନେ ଜାଣୁ ଯେ, ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି, ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। 3 ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ। 4 ଯେ କେହି ପାପ କରେ, ସେ ମଧ୍ୟ ବ୍ୟବସ୍ଥା ଲଙ୍ଘନ କରେ, କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ। 5 ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ। 6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ। 7 ହେ ବତ୍ସଗଣ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ; ଯେ ଧର୍ମାଚରଣ କରେ, ସେ ଯେପରି ଧାର୍ମିକ ଅଟନ୍ତି, ସେ ସେହିପରି ଧାର୍ମିକ ଅଟେ; 8 ଯେ ପାପ କରେ, ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରିଆସୁଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ବରଙ୍କ ପୁତ୍ର ପ୍ରକାଶିତ ହେଲେ। 9 ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ବରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ବରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ। 10 ଏଥିରେ କିଏ ଈଶ୍ବରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେ କେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କଠାରୁ ଜାତ ନୁହେଁ।